ପୁସିଂ ବ୍ରିଜ୍–କଲଭର୍ଟ ଦାବିରେ ମାଳିବେଲଗାଁର ଚେତାବନୀ: ନହେଲେ ଭୋଟ ବର୍ଜନ”
କୋରାପୁଟ, ୧୯/୩: ପୁସିଂ ବ୍ରିଜ୍ ଓ କଲଭର୍ଟ ନିର୍ମାଣ ଦାବିକୁ ନେଇ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଅଧୀନ ମାଳିବେଲଗାଁ ପଞ୍ଚାୟତରେ ଅସନ୍ତୋଷ ତୀବ୍ର ହୋଇଉଠିଛି। ଏନେଇ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି, ବୁଦ୍ଧିଜୀବୀ ଓ ସ୍ଥାନୀୟ ଗ୍ରାମବାସୀମାନେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପଞ୍ଚାୟତ ମାଧ୍ୟରେ ଯାଇଥିବା କେକେ ରେଳ ଲାଇନ ଅଞ୍ଚଳକୁ ଦୁଇ ଭାଗରେ ବିଭକ୍ତ କରିଦେଇଛି। ମାଛକୁଣ୍ଡ ରେଳ ଷ୍ଟେସନ ନିକଟସ୍ଥ ସାଉନି ପୂଜାରୀପୁଟ ପାଖରେ ଥିବା ବ୍ରିଜର ଏକ ପାର୍ଶ୍ୱରେ ପାଣ୍ଡାପୁଟ, ଛେଳିଆମୁଣ୍ଡା, ବିଲାଇପୁଟ, ସିତାପୁଟ, ବଡଟାଙ୍କୁଆ, ବଦଲିପଣ୍ଡି, ଗୁଲପଣ୍ଡି ଓ ଖତଗୌଡ଼ପୁଟ ଭଳି ୮ଟି ଗ୍ରାମ ରହିଛି। ଅନ୍ୟ ପାର୍ଶ୍ୱରେ ସାଉନି ପୂଜାରୀପୁଟ, ଖୁଜେଲ, ପରଜା ବେଲଗାଁ, ମାଳିବେଲଗାଁ, ଖତପୁଟ, ତଳ ଗେରୁପୁଟ ଓ କଦମଗୁଡା ସହ ୭ଟି ଗ୍ରାମ ଅବସ୍ଥିତ। ଏହି ବିଭାଜନ ଫଳରେ ପଞ୍ଚାୟତର ପ୍ରାୟ ୮ ହଜାରରୁ ଅଧିକ ଲୋକ ପ୍ରଭାବିତ ହେଉଛନ୍ତି। ରେଳ ଧାରଣା ହେତୁ ଯାତାୟତ ବ୍ୟବସ୍ଥା ବିଘ୍ନିତ ହେବା ସହ ପାନୀୟ ଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ଗ୍ରାମବାସୀଙ୍କ ପାଖକୁ ସଠିକ ଭାବରେ ପହଞ୍ଚି ପାରୁନାହିଁ। ଗ୍ରାମଗୁଡ଼ିକ ମଧ୍ୟରେ ସଂଯୋଗ ନ ଥିବାରୁ ସାମାଜିକ ଓ ଆର୍ଥିକ କାର୍ଯ୍ୟକଳାପ ମଧ୍ୟ ପ୍ରଭାବିତ ହେଉଛି। ବର୍ତ୍ତମାନ ରେଳ ଧାରଣା ଦେଇ ଯାତାୟତ ପାଇଁ ଥିବା ସଂକୀର୍ଣ୍ଣ ରାସ୍ତାକୁ ମଧ୍ୟ ରେଳ ବିଭାଗ ବନ୍ଦ କରିବାକୁ ଚିନ୍ତାଭିନ୍ତା କରୁଥିବାରୁ ସମସ୍ୟା ଆହୁରି ଗୁରୁତର ହେବା ଆଶଙ୍କା ରହିଛି। ଏହା ଦ୍ୱାରା ମାଳିବେଲଗାଁ ସହ ବନମାଳିପୁଟ ଓ ଟିକରପଡା ପଞ୍ଚାୟତର ଲୋକମାନେ ଦୈନିକ ଜୀବନ ଓ ଜୀବିକାରେ ବିପୁଳ ଅସୁବିଧା ସମ୍ମୁଖୀନ ହେବେ ବୋଲି ସରପଞ୍ଚ ପ୍ରହଲ୍ଲାଦ ମୁଦୁଲି କହିଛନ୍ତି। ସେ କହିଛନ୍ତି ଯେ, ଯଦି ପୁସିଂ ବ୍ରିଜ୍ ଓ କଲଭର୍ଟ ନିର୍ମାଣ କରାଯାଏ, ତେବେ ପଞ୍ଚାୟତର ସମସ୍ତ ଗ୍ରାମ ସହଜରେ ସଂଯୁକ୍ତ ହେବ ଓ ବିକାଶ କାର୍ଯ୍ୟ ସମାନ ଭାବେ ପହଞ୍ଚିପାରିବ। ତେଣୁ ଶୀଘ୍ର ଦାବି ପୂରଣ ନହେଲେ ପଞ୍ଚାୟତବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ଆସନ୍ତା ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ।
