ସୁନାପୁର ବେଳାଭୂମି ମହୋତ୍ସବ ଉଦଯାପିତ

*ସୁନାପୁର ବେଳାଭୂମି ମହୋତ୍ସବ ଉଦଯାପିତ*

ସୁନାପୁର(ଚିକିଟୀ)-: ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ଅନ୍ତର୍ଗତ ସୁନାପୁର ବେଳାଭୂମି ତିନି ଦିନ ଧରି ପରିଣତ ହୋଇଥିଲା ଏକ ଜୀବନ୍ତ ସାଂସ୍କୃତିକ ମହାମଞ୍ଚ।

ଚିକିଟୀ ନିର୍ବାଚନ ମଣ୍ଡଳୀର ହରାଇଥିବା ଗୌରବକୁ ପୁନଃସ୍ଥାପନ କରିବା ଲକ୍ଷ୍ୟରେ ମହାଆଡମ୍ବରରେ ଆୟୋଜିତ ସୁନାପୁର ବେଳାଭୂମି ମହୋତ୍ସବ କେବଳ ଏକ ଉତ୍ସବ ନୁହେଁ, ବରଂ ଗଞ୍ଜାମର ସାଂସ୍କୃତିକ ଐତିହ୍ୟ, ପରମ୍ପରା ଓ ପର୍ଯ୍ୟଟନ ସମ୍ଭାବନାର ଏକ ଦୃଢ଼ ଘୋଷଣା ଭାବେ ରାଜ୍ୟ ଓ ଜାତୀୟ ସ୍ତରରେ ଦୃଷ୍ଟିଆକର୍ଷଣ କରିଛି। ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ଦ୍ୱାରା ଉଦଘାଟିତ ଏହି ମହୋତ୍ସବର ଉଦଘାଟନୀ ସଭାରେ ସେ କହିଥିଲେ ଯେ—ଓଡିଶାବାସୀଙ୍କ ଧମନୀରେ କଳା ଓ ସଂସ୍କୃତି ଯେପରି ଅବିରତ ଭାବେ ବହୁଛି, ଗଞ୍ଜାମବାସୀଙ୍କ ରକ୍ତରେ ସେହି ପ୍ରବାହ ସବୁଠାରୁ ଅଧିକ ସଜୀବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ କହିଥିଲେ ଯେ, ଗଞ୍ଜାମର ୧୦୦ କି.ମି.ରୁ ଅଧିକ ଦୀର୍ଘ ବେଳାଭୂମି ଓଡିଶାର ଏକ ଅମୂଲ୍ୟ ସମ୍ପଦ। ପରିବେଶ ସୁରକ୍ଷା ସହ ଇକୋ–ଟୁରିଜମ ଓ ମେଡିକାଲ ଟୁରିଜମର ସମନ୍ୱୟ ମାଧ୍ୟମରେ ୨୦୩୬ର ବିକଶିତ ଓଡିଶାର ସ୍ବପ୍ନ ସାକାର ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଚିକିଟୀ ବିଧାୟକ ତଥା ମହୋତ୍ସବର ସଭାପତି ଶ୍ରୀ ମନୋରଞ୍ଜନ ଦ୍ୟାନ ସାମନ୍ତରା କହିଥିଲେ ଯେ, ଏହି ମହୋତ୍ସବ ସ୍ଥାନୀୟ ଲୁକାୟିତ ପ୍ରତିଭାକୁ ଜାତୀୟ ମଞ୍ଚରେ ପରିଚୟ ଦେବା ସହ ସୁନାପୁର ବେଳାଭୂମିକୁ ଆଗାମୀ ଦିନରେ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବାର ଭିତ୍ତି ପ୍ରସ୍ତୁତ କରିଛି। ଦ୍ୱିତୀୟ ଦିବସରେ ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଗଞ୍ଜାମ ମାଟିର ଅଦ୍ୱିତୀୟତା ଉପରେ ଆଲୋକପାତ କରି କହିଥିଲେ—ପୃଥିବୀର ଯେଉଁ କୋଣକୁ ଯାଆନ୍ତୁ, ସେଠାରେ ନିଶ୍ଚୟ ଗଞ୍ଜାମର ଜଣେ ନା ଜଣେ ଲୋକଙ୍କୁ ପାଇବେ; ଏହା ଗଞ୍ଜାମ ପାଇଁ ସର୍ବୋଚ୍ଚ ଗର୍ବର କଥା।ତୃତୀୟ ଓ ଅନ୍ତିମ ଦିବସର ସନ୍ଧ୍ୟାରେ ଖଣି ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା, ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚରଣ ସ୍ୱାଇଁ, ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଜେନା ପ୍ରମୁଖ ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମର ଗରିମା ବଢ଼ାଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଝଲମଲ କଲା ବେଳାଭୂମି। ତିନି ଦିନ ଧରି ଚାଲିଥିବା ମହୋତ୍ସବରେ ଓଡ଼ିଶୀ, ସମ୍ବଲପୁରୀ, ଲୋକନୃତ୍ୟ, ଛଉ, ପାଲା, ଦାସକଥା, ଆଧୁନିକ ନୃତ୍ୟ, ଲୋକଗୀତ ଓ ଭାବଗମ୍ଭୀର କବିତା ଆସର ଦର୍ଶକଙ୍କୁ ମନୋମୁଗ୍ଧ କରିଥିଲା। ସମୁଦ୍ର ପବନ ସହ ମିଶିଥିବା ମାଦଳ, ଘୁମୁରା ଓ ସଂଖର ଧ୍ୱନି ବେଳାଭୂମିକୁ ଏକ ଅଲୌକିକ ସାଂସ୍କୃତିକ ପରିବେଶରେ ପରିଣତ କରିଦେଇଥିଲା। ବେଳାଭୂମି କ୍ରୀଡା, ମାରାଥନ, ସ୍ଥାନୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଓ ସାମାଜିକ–ସାଂସ୍କୃତିକ କ୍ଷେତ୍ରରେ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କ ସମ୍ବର୍ଦ୍ଧନା ମହୋତ୍ସବକୁ ଏକ ଐତିହାସିକ ରୂପ ଦେଇଥିଲା। ପ୍ରଥମ ସନ୍ଧ୍ୟାରେ ଓଡ଼ିଆ ନାୟକ ସବ୍ୟସାଚୀ ଙ୍କ ସହ ଗାୟିକା ଅସୀମା ପଣ୍ଡା, ଦ୍ଵିତୀୟ ସନ୍ଧ୍ୟାରେ ଓଲିଉଡ଼ ନାୟିକା ଶିବାନୀ ଙ୍କ ସହ ତେଲୁଗୁ ହାସ୍ୟକାର ମହମ୍ମଦ ଅଲ୍ଲୀ ଓ ଅନ୍ତିମ ସନ୍ଧ୍ୟାର ସର୍ବାଧିକ ଆକର୍ଷଣ ଥିଲା ପ୍ରସିଦ୍ଧ ହିନ୍ଦୀ ଗାୟିକା ଅରୁଣିତା କାଞ୍ଜିଲାଲଙ୍କ ସୁମଧୁର ସଂଗୀତ ସନ୍ଧ୍ୟା। ତାଙ୍କର ମନୋମୁଗ୍ଧକର କଣ୍ଠସ୍ୱର ସମୁଦ୍ର ଗର୍ଜନ ସହ ମିଶି ସୁନାପୁର ବେଳାଭୂମିକୁ ଏକ ସ୍ୱପ୍ନମୟ ରୂପ ଦେଇଥିଲା। ବ୍ଲୁ–ଫ୍ଲାଗ ମାନ୍ୟତାପ୍ରାପ୍ତ ସୁନାପୁର ବେଳାଭୂମିରେ ବିଶାଳ ଜନସମୁଦ୍ରର ସାକ୍ଷୀରେ ଅତ୍ୟନ୍ତ ସୁଶୃଙ୍ଖଳିତ, ଶାନ୍ତ ଓ ସଂସ୍କୃତିମୟ ପରିବେଶରେ ସମାପିତ ହୋଇଥିବା ସୁନାପୁର ବେଳାଭୂମି ମହୋତ୍ସବ ଗଞ୍ଜାମର କଳା–ସଂସ୍କୃତି, ପର୍ଯ୍ୟଟନ ସମ୍ଭାବନା ଓ ସାମୂହିକ ଆତ୍ମଗର୍ବକୁ ଏକ ନୂତନ ଉଚ୍ଚତାରେ ପହଞ୍ଚାଇ ଦେଇଛି।

Leave a Reply

Your email address will not be published. Required fields are marked *