ବିପିୟୁଟି–ଇଣ୍ଡଷ୍ଟ୍ରି ଏକାଡେମିଆ କନକ୍ଲେଭ ୨.୦ ସଫଳତାର ସହ ସମାପ୍ତ


ଫୁଲନଖରା :ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି (ବିପିୟୁଟି) ଏବଂ ଓଡ଼ିଶା ମ୍ୟାନେଜମେଣ୍ଟ କଲେଜ ଆସୋସିଏସନ୍ (ଓମକା)ର ମିଳିତ ଆନୁକୂଳ୍ୟରେ ଭୁବନେଶ୍ୱରସ୍ଥିତ ସିଏସଆଇଆର–ଆଇଏମଏମଟି ଅଡିଟୋରିଅମରେ ଆୟୋଜିତ ଦୁଇଦିନିଆ “ବିପିୟୁଟି ଇଣ୍ଡଷ୍ଟ୍ରି–ଏକାଡେମିଆ କନକ୍ଲେଭ ୨.୦” ସଫଳତାର ସହ ସମାପ୍ତ ହୋଇଛି। “ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ପାଇଁ ସ୍ଥାୟୀ ଶିକ୍ଷା : ବିପିୟୁଟିର ଭୂମିକା” ଶୀର୍ଷକରେ ଆୟୋଜିତ ଏହି କନକ୍ଲେଭ ରାଜ୍ୟର ବୈଷୟିକ ଓ ପରିଚାଳନା ଶିକ୍ଷାକୁ ଶିଳ୍ପ କ୍ଷେତ୍ର ସହ ସମନ୍ୱୟ କରିବା ଦିଗରେ ଏକ ଦୃଢ଼ ପଦକ୍ଷେପ ଭାବେ ପରିଗଣିତ ହୋଇଛି। କନକ୍ଲେଭରେ ଆଲୋଚନାର ମୁଖ୍ୟ କେନ୍ଦ୍ରବିନ୍ଦୁ ଥିଲା— ଶିକ୍ଷା ପ୍ରଣାଳୀକୁ ବର୍ତ୍ତମାନର ଶିଳ୍ପ ଚାହିଦା ସହ ସମନ୍ୱୟ କରିବା, ଛାତ୍ରଛାତ୍ରୀଙ୍କୁ ନିଯୁକ୍ତିଯୋଗ୍ୟ କୌଶଳରେ ସମୃଦ୍ଧ କରିବା, ଷ୍ଟାର୍ଟଅପ୍ ଓ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା, ଏବଂ ଗବେଷଣାକୁ ଶିଳ୍ପ ଆବଶ୍ୟକତା ସହ ସଂଯୋଜିତ କରିବା। ଉପସ୍ଥିତ ବକ୍ତାମାନେ ମତ ପ୍ରକାଶ କରିଥିଲେ ଯେ, ଆଜିର ପ୍ରତିଯୋଗୀତାମୂଳକ ଯୁଗରେ କେବଳ ସାମାନ୍ୟ ଶିକ୍ଷା ନୁହେଁ, ବରଂ ପ୍ରାୟୋଗିକ ଦକ୍ଷତା, ସୃଜନଶୀଳତା ଓ ସମସ୍ୟା ସମାଧାନ କ୍ଷମତା ଛାତ୍ରଛାତ୍ରୀଙ୍କ ସଫଳତାର ମୂଳ ଆଧାର। ସମାପନୀ ଅଧିବେଶନରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିପିୟୁଟି ଓ ଓମକାର ଏହି ଅଭିନବ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ରାଜ୍ୟର ଯୁବପିଢ଼ୀଙ୍କୁ ଜ୍ଞାନ ସହିତ କୌଶଳରେ ଦକ୍ଷ କରିବା ପାଇଁ ଶିକ୍ଷା ଓ ଶିଳ୍ପ ମଧ୍ୟରେ ମଜବୁତ ସେତୁବନ୍ଧନ ଅତ୍ୟାବଶ୍ୟକ। ଏହି ପ୍ରକାରର ଉଦ୍ୟମ ସମୃଦ୍ଧ ଓଡ଼ିଶା ଗଠନ ସହ ବିକଶିତ ଭାରତ ନିର୍ମାଣରେ ଦୂରଗାମୀ ଭୂମିକା ନିଭାଇବ ବୋଲି ସେ ମତ ପ୍ରକାଶ କରିଥିଲେ। ଉପମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ବର୍ତ୍ତମାନ ସମୟରେ ବିଶ୍ୱସ୍ତରୀୟ ପ୍ରତିସ୍ପର୍ଦ୍ଧାରେ ସଫଳ ହେବା ପାଇଁ ଉଚ୍ଚଶିକ୍ଷା ସଂସ୍ଥାଗୁଡ଼ିକୁ ଶିଳ୍ପକ୍ଷେତ୍ର ସହ ସମନ୍ୱୟ କରି ଶିକ୍ଷା ପ୍ରଦାନ କରିବା ଆବଶ୍ୟକ। ଯୁବପିଢ଼ୀଙ୍କୁ ନୂତନ ପ୍ରଯୁକ୍ତି, ନବୋନ୍ମେଷ ଓ ଉଦ୍ୟମିତା ଦିଗରେ ଆଗୁଆ କରାଇବାରେ ବିପିୟୁଟି ଭଳି ବିଶ୍ୱବିଦ୍ୟାଳୟମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କ୍ଷ ସମାପନୀ ଅଧିବେଶନରେ ବିପିୟୁଟିର ପ୍ରଫେସର ଡ଼. ବିକ୍ରମାଦିତ୍ୟ ଦାସ କୃତଜ୍ଞତା ଜ୍ଞାପନ କରି ସମସ୍ତ ଅତିଥି, ଅଂଶଗ୍ରାହୀ ଓ ସହଯୋଗୀ ସଂସ୍ଥାଙ୍କୁ ଧନ୍ୟବାଦ
ଜଣାଇଥିଲେ। ସେ କହିଥିଲେ ଯେ, କନକ୍ଲେଭରୁ ମିଳିଥିବା ମତାମତ ଓ ସୁପାରିଶଗୁଡ଼ିକୁ ଆଗାମୀଦିନରେ ଶିକ୍ଷାର ଗୁଣାତ୍ମକ ଉନ୍ନତି ପାଇଁ କାର୍ୟ୍ୟକାରୀ କରାଯିବ। ଏହି ଦୁଇଦିନିଆ କାର୍ୟ୍ୟକ୍ରମକୁ ଓମକାର ସମ୍ପାଦକ ଡ଼. ବଙ୍କିମ ମହାନ୍ତି, କୋଷାଧ୍ୟକ୍ଷ ଡ଼. ସୁଧାଂଶୁ ଶେଖର ଦାସ ଓ ବିପିୟୁଟିର ପ୍ରଫେସର ଡ଼. ବିକ୍ରମାଦିତ୍ୟ ଦାସ ସୁଚାରୁରୂପେ ପରିଚାଳନା କରିଥିଲେ। ଶିକ୍ଷା, ଗବେଷଣା ଓ ଶିଳ୍ପ କ୍ଷେତ୍ରକୁ ଏକ ମଞ୍ଚରେ ଆଣି ରାଜ୍ୟର ଯୁବପିଢ଼ୀଙ୍କୁ ଭବିଷ୍ୟତର ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ କରିବା ଦିଗରେ “ବିପିୟୁଟି ଇଣ୍ଡଷ୍ଟ୍ରି–ଏକାଡେମିଆ କନକ୍ଲେଭ ୨.୦” ଏକ ଐତିହାସିକ ପଦକ୍ଷେପ ଭାବେ ସାବ୍ୟସ୍ତ ହୋଇଛି। ଏହା ରାଜ୍ୟର ଉଚ୍ଚଶିକ୍ଷା ପରିସରକୁ ଅଧିକ ପ୍ରାସଙ୍ଗିକ, କୌଶଳମୂଳକ ଓ ରୋଜଗାରମୁଖୀ କରିବାରେ ନୂତନ ଦିଗ ଦେଖାଇଛି।

Leave a Reply

Your email address will not be published. Required fields are marked *