ବିଧାନସଭାରେ ବିରୋଧୀଙ୍କ ଅଭିନଵ ପ୍ରତିବାଦ


ଭୁବନେଶ୍ୱର : ବିଧାନସଭାରେ ବିରୋଧୀଙ୍କ ଅଭିନବ ପ୍ରତିବାଦ। କଳା ଟିସାର୍ଟ ପିନ୍ଧି ଗୃହକୁ ଆସିଥିଲେ ବିରୋଧୀ । ଦୁର୍ବଳ ମୁଖ୍ୟମନ୍ତ୍ରୀ, ଶକ୍ତିଶାଳୀ ସ୍ବାସ୍ଥ୍ୟମନ୍ତ୍ରୀ ଲେଖା ଥିବା ଟି ସାର୍ଟ ପିନ୍ଧି ଗୃହରେ ହୋହଲ୍ଲା କରିଥିଲେ ବିରୋଧୀ । ଫଳରେ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ କରିଥିଲେ ବାଚସ୍ପତି । ଏସସିବି ଅଗ୍ନିକାଣ୍ଡ ଘଟଣାରେ ଲାଗାତାର ବିରୋଧ କରି ଆସୁଛନ୍ତି ବିରୋଧୀ । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧି ଅଟଳ ରହିଛନ୍ତି। ଯାହାଫଳରେ ଗୃହକାର୍ଯ୍ୟ ସ୍ବାଭାବିକ ହୋଇପାରୁନି। ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ବିରୋଧ ଜାରି ରହିବ ବୋଲି କହିଛନ୍ତି ବିରୋଧୀ। ଉଭୟ କଂଗ୍ରେସ ଓ ବିଜେଡି ମିଳିତ ଭାବେ ବିରୋଧ ଜାରି ରଖିଛନ୍ତି । ଅନ୍ୟପଟେ ଜାଣିଶୁଣି ବିରୋଧୀ ଗୃହକାର୍ଯ୍ୟ ବନ୍ଦ କରୁଥବା ଅଭିଯୋଗ କରିଛି ଶାସକ ଦଳ।
ଉଭୟ ବିଜେଡି ଓ କଂଗ୍ରେସ ବିଧାୟକ ଦୁର୍ବଳ ମୁଖ୍ୟମନ୍ତ୍ରୀ, ଶକ୍ତିଶାଳୀ ସ୍ୱାସ୍ଥ୍ୟ ମନ୍ତ୍ରୀ ଲେଖା ଯୁକ୍ତ ଟି – ସାର୍ଟ ପିନ୍ଧି ବିଧାନସଭା ପରିକ୍ରମା କରଛନ୍ତି ।ବଜେଟ ଅଧିବେଶନର ଦ୍ଵାଦଶ ଦିନର ପ୍ରଶ୍ନ କାଳରେ ଆଜି ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି । ଗୃହ ଆରମ୍ଭ ହେବା କ୍ଷଣି ଖାଦ୍ୟ ଯୋଗାଣ ଏବଂ ଖାଉଟି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିବା ଆରମ୍ଭ କରୁଥିଲେ । କଳା ଟି – ସାର୍ଟ ପିନ୍ଧି ଗୃହକୁ ପ୍ରବେଶ କରିଥିଲେ ବିରୋଧୀ ଦଳ ବିଧାୟକ । ଉଭୟ କଂଗ୍ରେସ ଓ ବିଜେଡି ବିଧାୟକ ପରିଧାନ କରିଥିଲେ କଳା ଟି – ସାର୍ଟ । ଟି – ସାର୍ଟରେ ଲେଖା ହୋଇଥିଲା ‘ଦୁର୍ବଳ ମୁଖ୍ୟମନ୍ତ୍ରୀ..ଶକ୍ତିଶାଳୀ ସ୍ବାସ୍ଥ୍ୟମନ୍ତ୍ରୀ’ । ସିଧାସଳଖ ପୋଡିୟମ ତଳକୁ ଯାଇ ନାରାବାଜି କରିଥିଲେ । ସରକାରୀ ବିରୋଧୀ ଲେଖା ଥିବା ଟି – ସାର୍ଟ ସହ ପୋଷ୍ଟର ଧରି ଗୃହରେ ହୋହଲ୍ଲା କରିଛନ୍ତି ବିରୋଧୀ । ଫଳରେ ଗୃହକୁ ସାଢ଼େ ୧୧ ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିବା ପରେ ବାହାରକୁ ଆସି ପ୍ରତିବାଦ କରିଛନ୍ତି ବିରୋଧୀ । ବିଧାନସଭା ପରିକ୍ରମା କରିବା ସହ ସରକାର ବିରୋଧୀ ନାରାବାଜି କରିଛନ୍ତି ବିରୋଧୀ ସଦସ୍ୟ । ଏସସିବି ଅଗ୍ନିକାଣ୍ଡ ଘଟଣାରେ ଲାଗାତାର ବିରୋଧ କରି ଆସୁଛନ୍ତି ବିରୋଧୀ । ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଧାନସଭାରେ ହେଉଛି ବିରୋଧ । ଯାହା ଫଳରେ ୧୭ ତାରିଖରୁ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇପାରୁନାହିଁ । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଇସ୍ତଫା ନଦେବା ଯାଏଁ ବିରୋଧ ଜାରି ରହିବ ବୋଲି କହିଛନ୍ତି ବିରୋଧୀ । ଉଭୟ କଂଗ୍ରେସ ଓ ବିଜେଡି ମିଳିତ ଭାବେ ବିରୋଧ ଜାରି ରଖିଥିବାରୁ ହୋଇପାରୁନାହିଁ ଗୃହ କାର୍ଯ୍ୟ । ଜାଣିଶୁଣି ବିରୋଧୀ ଗୃହ କାର୍ଯ୍ୟ ବନ୍ଦ କରୁଥବା ଅଭିଯୋଗ କରିଛି ଶାସକ ଦଳ ।ବିଜେଡି ବିଧାୟକ ରମେଶ ବେହେରା କହିଛନ୍ତି, “ଓଡିଶାର ସର୍ବଶ୍ରେଷ୍ଠ ସ୍ୱାସ୍ଥ୍ୟ ଅନୁଷ୍ଠାନ ଏସସିବିରେ ଅଗ୍ନିକାଣ୍ଡ ଯୋଗୁଁ ୧୩ଟି ଅମୂଲ୍ୟ ସମ୍ପଦର ମୃତ୍ୟୁ ହୋଇଛି । ତଳିଆ କର୍ମଚାରୀଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଯାହାଙ୍କର ଏହି ମାମଲାରେ ବିଶେଷ ଭୂମିକା ନାହିଁ । କିନ୍ତୁ ପ୍ରକୃତ ଦୋଷୀଙ୍କୁ ଘଣ୍ଟ ଘୋଡାଉଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି । ସରକାର ନିଦାବିଷ୍ଣୁ ସାଜିଛନ୍ତି । ନିଦ ଭାଙ୍ଗୁନାହିଁ । କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ସରକାରଙ୍କ ନିଦ ଭାଙ୍ଗିବ । ଓଡିଶା ଲୋକ ଯାହା କହୁଛନ୍ତି, ସେହି ଅନୁସାରେ ଟି – ସାର୍ଟର କ୍ୟାପସନ ରହିଛି । ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇପାରୁ ନାହାନ୍ତି । ତେଣୁ ସେ ଦୁର୍ବଳ । ସେଥିପାଇଁ ପଦକ୍ଷେପ ନେଇ ପାରୁ ନାହାନ୍ତି ।”କଂଗ୍ରେସର ବିଧାୟକ ପବିତ୍ର ସାଉଁତା କହିଛନ୍ତି, “ସରକାର ଅନ୍ଧ ଧୃତରାଷ୍ଟ୍ର ଭଳି ବ୍ୟବହାର କରୁଛନ୍ତି । ମୋହନ ସରକାର କମ୍ପ୍ରମାଇଜ ସ୍ଥିତିରେ ଅଛନ୍ତି । ମୁଖ୍ୟମନ୍ତ୍ରୀ ହେବା ସ୍ୱତ୍ତ୍ୱେ ମୋହନ ଚରଣ ମାଝୀ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଡରୁଛନ୍ତି । ତେଣୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ନେଇ ପାରୁ ନାହାନ୍ତି । ସରକାରୀ ହସ୍ପିଟାଲରେ ୧୩ ଜଣଙ୍କ ଅଘଟଣରେ ମୃତ୍ୟୁ ନୁହେଁ, ହତ୍ୟା ହୋଇଛି । ମୁଖ୍ୟମନ୍ତ୍ରୀ ବିବୃତି ରଖନ୍ତୁ । ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ଦୋଷୀଙ୍କୁ ଦଣ୍ଡ ଓ ଜନସାଧାରଣଙ୍କୁ ସରକାର ନ୍ୟାୟ ଦେଉନାହାନ୍ତି ।ବିରୋଧୀଙ୍କ ହଟ୍ଟଗୋଳ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ପ୍ରତିକ୍ରିୟା । ଶାସକ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ କହିଥିଲେ , “ଏ ନାଟକବାଜି ଦୁଃଖ ଏବଂ ପରିତାପର ବିଷୟ । ଏ ଟି – ସାର୍ଟ ବୋଧେ ପୁର୍ବ ସରକାରରେ ଥିଲା । ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀ ଦୁର୍ବଳ ଥିଲେ । ନବୀନଙ୍କ ଦୋଷ ଦୁର୍ବଳତା ଲୁଚାଇବାକୁ ଏ ନାଟକ କରୁଛନ୍ତି । ବିଜେଡି ସରକାର ସମୟରେ ମୁଖ୍ୟମନ୍ତ୍ରୀ ଦୁର୍ବଳ ଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ସବଳ ଥିଲେ । ବର୍ତ୍ତମାନ ଆଲୋଚନା ପାଇଁ ସୁଯୋଗ ଦିଆଯାଇଛି । ବିରୋଧୀ ଆଲୋଚନା କରୁନାହାନ୍ତି । ଗୃହକୁ ବନ୍ଦ କରୁଛନ୍ତି । ଦଳ ଭିତରେ ଥିବା ବିଶୃଙ୍ଖଳା ଲୁଚାଇବା ପାଇଁ ଏଭଳି ନାଟକ କରୁଛନ୍ତି । ଏହା ଏକ ଖରାପ ପରମ୍ପରା । ବିରୋଧୀ ଦଳ ନେତା ଗୃହକୁ ଆସୁଛନ୍ତି କି ମୁହଁ ଖୋଲୁନାହାନ୍ତି । ନିଦା ବିଷ୍ଣୁ ଭଳି ବସୁଛନ୍ତି ।

Leave a Reply

Your email address will not be published. Required fields are marked *