ପୁଅ-ବୋହୂଙ୍କ ନିର୍ଯାତନା ସହି ନପାରି ଭିଟାମାଟି ଛାଡିଲେ ବୃଦ୍ଧ ଦମ୍ପତି: ସମ୍ପତ୍ତି ଦାନ କରିବାକୁ ଜିଲ୍ଲାପାଳଙ୍କୁ ନିବେଦନ

ବାଲେଶ୍ୱର, ୨୬|୦୪|୨୦୨୬: ଜନ୍ମକଲା ପୁଅ ଆଜି ପାଲଟିଛି ଶତ୍ରୁ। ଯେଉଁ ପୁଅକୁ ପାଳିପୋଷି ବଡ଼ କରିଥିଲେ, ସେଇ ପୁଅ-ବୋହୂଙ୍କ ଅକଥନୀୟ ନିର୍ଯାତନା ସହି ନପାରି ଶେଷରେ ଘରଦ୍ୱାର ଛାଡି ବାହାରେ ଆଶ୍ରୟ ନେଇଛନ୍ତି ଜଣେ ଅସହାୟ ବୃଦ୍ଧ ଦମ୍ପତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଗେଣ୍ଡୁଟିଆ ଅଞ୍ଚଳରେ।ଗେଣ୍ଡୁଟିଆ ଗ୍ରାମର ଶାନ୍ତିଲତା ପଣ୍ଡା (୭୬) ଏବଂ ତାଙ୍କ ପକ୍ଷାଘାତ ପୀଡିତ ସ୍ୱାମୀ ଦାମୋଦର ପଣ୍ଡା (୮୪) ନିଜ ଦୁଇ ପୁଅ ଓ ବୋହୂଙ୍କ ଦ୍ୱାରା ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଘରକୁ ହଡ଼ପ କରିବା ପାଇଁ ଦୁଇ ପୁଅ ଓ ବୋହୂ ମିଶି ବୃଦ୍ଧ ଦମ୍ପତିଙ୍କୁ ମାଡ଼ ମାରିବା ସହ ଗତ ୪ ମାସ ତଳେ ଘରୁ ବଳପୂର୍ବକ ବାହାର କରିଦେଇଥିଲେ। ଅଭିଯୋଗ ଅନୁଯାୟୀ, ଏନେଇ ପୂର୍ବରୁ ଖଇରା ଥାନାରେ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନଥିଲା। ଏପରିକି ପଞ୍ଚାୟତ ସ୍ତରରେ ସମାଧାନ ପାଇଁ ଉଦ୍ୟମ କରାଯିବା ବେଳେ ପୁଅ-ବୋହୂ ସେମାନଙ୍କୁ ଓ ସାହାଯ୍ୟ କରିବାକୁ ଆସୁଥିବା ଝିଅ-ଜ୍ୱାଇଁଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଶାନ୍ତିଲତା ପ୍ରକାଶ କରିଛନ୍ତି। ଅନ୍ୟୁପାୟ ହୋଇ ଜଣେ ମାନବାଧିକାର କର୍ମୀଙ୍କ ସହାୟତାରେ ବୃଦ୍ଧ ଦମ୍ପତି ଏବେ ବାଲେଶ୍ୱର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ନ୍ୟାୟ ଭିକ୍ଷା କରିଛନ୍ତି।ନିଜ ପୁଅଙ୍କ କ୍ରୁରତା ଦେଖି ଶାନ୍ତିଲତା ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଅନୁରୋଧ କରିଛନ୍ତି ଯେ: ସେମାନଙ୍କୁ କୌଣସି ଏକ ବୃଦ୍ଧାଶ୍ରମରେ ରହିବାକୁ ବ୍ୟବସ୍ଥା କରାଯାଉ। ଯେଉଁ ଘରୁ ସେମାନଙ୍କୁ ତଡ଼ି ଦିଆଯାଇଛି, ସେଥିରୁ ପୁଅ-ବୋହୂଙ୍କୁ ବେଦଖଲ କରି ସେହି ସମ୍ପତ୍ତିକୁ କୌଣସି ସରକାରୀ ସଂସ୍ଥା, ମନ୍ଦିର କିମ୍ବା ଟ୍ରଷ୍ଟକୁ ଦାନ କରିଦିଆଯାଉ। ନିର୍ଯାତନା ଦେଉଥିବା ପୁଅ-ବୋହୂଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ଜୀବନର ଅପରାହ୍ନରେ ନିଜ ରକ୍ତର ସମ୍ପର୍କ ପାଖରୁ ଏଭଳି ପ୍ରତାରଣା ପାଇବା ପରେ, ପ୍ରଶାସନ ଉପରେ ଏବେ ଏହି ଦମ୍ପତିଙ୍କର ଶେଷ ଭରସା ରହିଛି। ଅଞ୍ଚଳବାସୀ ମଧ୍ୟ ଏହି ଅମାନବୀୟ ଘଟଣାକୁ ନିନ୍ଦା କରିବା ସହ ବୃଦ୍ଧ ଦମ୍ପତିଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *