କଟକ ସଦର ଥାନା ଅଞ୍ଚଳରେ ଉଲ୍ଲାସ ଓ ଗର୍ବର ସହ ସାଧାରଣତନ୍ତ୍ର ଦିବସ ପାଳିତ
ଫୁଲନଖରା: ଦେଶର ୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ କଟକ ସଦର ଥାନା ଅଞ୍ଚଳରେ ଗଭୀର ଉତ୍ସାହ, ଦେଶପ୍ରେମ ଓ ଉଲ୍ଲାସମୟ ପରିବେଶ ମଧ୍ୟରେ ଦିନଟି ପାଳିତ ହୋଇଯାଇଛି। ଏହି ଅବସରରେ ଅଞ୍ଚଳର ବିଭିନ୍ନ ସରକାରୀ କାର୍ୟ୍ୟାଳୟ, ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସହିତ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ବଡ଼ ଧୂମଧାମରେ ପତାକା ଉତ୍ତୋଳନ କରାଯାଇଥିଲା। ସେହିପରି ଭାବରେ ଅରଡିଆପଦାସ୍ଥିତ କଟକ ସଦର ପ୍ରେସ କ୍ଲବ କାର୍ୟ୍ୟାଳୟରେ ମଧ୍ୟ ସାଧାରଣତନ୍ତ୍ର ଦିବସ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। କଟକ ସଦର ପ୍ରେସ କ୍ଲବର କାର୍ୟ୍ୟକାରୀ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଲଳିତ କୁମାର ଦାଶ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଦେଶର ସଂବିଧାନ, ଗଣତନ୍ତ୍ର ଓ ଦେଶପ୍ରେମର ମହତ୍ତ୍ୱ ବିଷୟରେ ସନ୍ଦେଶ ଦେଇଥିଲେ। ଏହି ଅବସରରେ ବାରଙ୍ଗ ବ୍ଲକ ବିଜୁ ଜନତା ଦଳ ଉପସଭାପତି ଅଶୋକ କୁମାର ରଥ, ଲୋକପ୍ରିୟ ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ, ବିଜେପି ନଗରୀ ଗ୍ରାମ ପଞ୍ଚାୟତ ସଭାପତି ପ୍ରଶାନ୍ତ କୁମାର ଦାଶ, ବରିଷ୍ଠ ସାମ୍ବାଦିକ ସତ୍ୟ ରଞ୍ଜନ ଦାସ ମହାପାତ୍ର, ଗ୍ରାମ୍ୟ ମୁରବୀ ଅଜୟ କୁମାର ବେଉରା, ଶୈଲଜାନନ୍ଦ ସାହୁ, ଶଶି ଭୂଷଣ ଦାଶ, ଦୀପ୍ତି ରଞ୍ଜନ ଶତପଥୀ, ନିରଞ୍ଜନ ମହାନ୍ତି, ସୁଧୀର ଶତପଥୀ, ଅଙ୍ଗନୱାଡି କର୍ମୀ ରୀତାଞ୍ଜଳୀ ବେଉରା, ପ୍ରତିଶ କୁମାର ବେଉରା, ପ୍ରଧାନ ଶିକ୍ଷକ ମଦନମୋହନ ମାଝୀ, ଶିବ ପ୍ରସାଦ ଲେଙ୍କା ପ୍ରମୁଖ ଉପସ୍ଥିତ ରହି ସମାରୋହକୁ ସଫଳ କରିଥିଲେ। ଏହା ସହିତ ବାରଙ୍ଗ ବ୍ଲକ ଅନ୍ତର୍ଗତ ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦେଶଭକ୍ତିମୂଳକ ଗୀତ, ଭାଷଣ ଓ ସାଂସ୍କୃତିକ କାର୍ୟ୍ୟକ୍ରମ ମାଧ୍ୟମରେ ସାଧାରଣତନ୍ତ୍ର ଦିବସକୁ ଆନନ୍ଦ ଓ ଗର୍ବର ସହ ପାଳନ କରାଯାଇଥିଲା। ସମଗ୍ର ଅଞ୍ଚଳ ଦେଶପ୍ରେମର ରଙ୍ଗରେ ରଙ୍ଗିନ ହୋଇଉଠିଥିଲା।
